ହାଇଦ୍ରାବାଦ ୨୩।୬: ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଫାଇଭ-ଜି ଦୁନିଆରେ ପାଦ ଥାପିଲା। କମ୍ପାନୀ କ୍ୟୁ-ଫାଇଭ-ଜି ଏଫଡବ୍ଲୁଏ( ଫିକ୍ସଡ ୱେରଲେସ୍ ଆକ୍ସେସ) ସର୍ଭିସ ଲଞ୍ଚ କରିଛି, ଯାହା ପାରମ୍ପରିକ ଫାଇଭ-ଜି ସେବାଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହି ସର୍ଭିସ ବିନା ସିମ୍ ଓ ବିନା ତାରରେ ଚାଲୁଛି। ଏଥି ପାଇଁ କେବଳ ଡିଭାଇସ୍ କୁ ପ୍ଲଗରେ ଲଗାନ୍ତୁ ଓ ହାଇସ୍ପିଡ୍ ଇଣ୍ଟରନେଟ୍ ଉପଯୋଗ ଆରମ୍ଭ କରନ୍ତୁ।
ଏହି ସେବା ଲକ୍ଷଲକ୍ଷ ଲୋକଙ୍କୁ ଆଶ୍ୱସ୍ତ କରିଛି ଯେଉଁମାନେ ଦୀର୍ଘ ଦିନ ହେଲା ସରକାରୀ ଫାଇଭ-ଜି ସେବାକୁ ଅପେକ୍ଷା କରି ରହିଥିଲେ। ଏହି ସେବା ଘରୋଇ ଟେଲିକମ କମ୍ପାନୀଙ୍କ ପାଇଁ ଏକ ବଡ଼ ଝଟକା ସାବ୍ୟସ୍ତ ହୋଇଛି। କାରଣ ସେମାନଙ୍କୁ ଏବେ ସରକାରୀ କମ୍ପାନୀଠାରୁ କଡ଼ା ଟକ୍କର ମିଳିବ। ବିଏସଏନଏଲର କ୍ୟୁ-ଫାଇଭ-ଜି ଏଫଡବ୍ଲୁଏ ସେବା ହାଇଦ୍ରାବାଦରେ ଆରମ୍ଭ କରାଯାଇଛି। ତେବେ ଏହି ସେବା ସେପ୍ଟେମ୍ବର ୨୦୨୫ ବେଳକୁ ବେଙ୍ଗାଲୁରୁ, ପୁଣେ, ଚଣ୍ଡିଗଡ଼, ପଣ୍ଡିଚେରୀ, ବିଶାଖାପାଟଣା ଓ ଗ୍ୱାଲିୟର ଭଳି ସହରରେ ଉପଲବ୍ଧ କରାଯିବ।
ବିଏସଏନଏଲର ଏହି ପଦକ୍ଷେପ ଖାସ କରି ସେମି ଅର୍ବାନ ଓ ଗ୍ରାମୀଣ ଅଞ୍ଚଳ ପାଇଁ ବରଦାନ ସାବ୍ୟସ୍ତ ହେବ। କ୍ୟୁ-ଫାଇଭ-ଜି ଏଫଡବ୍ଲୁଏ ପ୍ଲାନ୍ ଖାସ କରି ସେହି ୟୁଜରଙ୍କ ପାଇଁ ଡିଜାଇନ କରାଯାଇଛି ଯେଉଁମାନେ ୱାର୍କଫ୍ରମହୋମ, ଷ୍ଟ୍ରିମିଂ ଅଥବା ଅନଲାଇନ ଗେମିଂ ଲାଗି ସ୍ଥିର ଇଣ୍ଟରନେଟ୍ ଆବଶ୍ୟକ କରୁଛନ୍ତି। ତେବେ ସବୁଠୁ ବଡ଼ କଥା ହେଉଛି ଏହି ଇଣ୍ଟରନେଟ୍ ୟୁଜ କରିବା ପାଇଁ ନା କୌଣସି ସିମର ଆବଶ୍ୟକତା ଅଛି କି ୱାରିଂର ।
କ୍ୟୁ-ଫାଇଭ ଜି ଏକ ପ୍ରକାର ପ୍ଲଗ ଆଣ୍ଡ ପ୍ଲେ ଟେକ୍ନୋଲଜି। ଠିକ୍ ୱାଇଫାଇ ରାଉଟର ଭଳି କାମ କରିବ। କେବଳ ଡିଭାଇସକୁ ଅନ୍ କରନ୍ତୁ ଓ ଇଣ୍ଟରନେଟ୍ ୟୁଜ୍ କରନ୍ତୁ। ଏହି ସର୍ଭିସ ଡିଜିଟାଲ ଡିଭାଇଡ ଅର୍ଥାତ ଡିଜିଟାଲ ଅନ୍ତରକୁ କମ୍ କରିବାରେ ସହାୟକ ହେବ। ଏହା ସେପରି ସ୍ଥାନରେ ଚାଲିବ ଯେଉଁଠି ଫାଇବର ଅଥବା ବ୍ରଡବ୍ୟାଣ୍ଡ ପହଞ୍ଚି ପାରିନାହିଁ। ଯେହେତୁ ଏହା ସିମ୍ ଫ୍ରି ଏଣୁ ସିମ୍ ସ୍ୱାପର ସମସ୍ୟା ହିଁ ନାହିଁ।